ଓଡ଼ିଆ ମୁରଲି · Brahma Kumaris

ଆଜିର ମୁରଲି · ନଭେମ୍ବର 19, 2026

ଓମ୍ ଶାନ୍ତି · BapDada · ନଭେମ୍ବର 19, 2026

ଆଜିର ମୁରଲି — ପ୍ରତିଦିନ ସକାଳେ ନୂଆ।

18
ଡାଉନଲୋଡ୍ PDF
0:00--:--

ପାଠ ବାଛନ୍ତୁ → ହାଇଲାଇଟ୍ / ବକ୍ସ / ଅଣ୍ଡରଲାଇନ୍

19/11/26
ପ୍ରାତଃ ମୁରଲୀ
ଓମ୍ ଶାନ୍ତି
“ବାପଦାଦା”
ମଧୁବନ
“ମିଠେ ବଚ୍ଚେ:- ଭିତର ବାହାର ସ୍ୱଚ୍ଛ ହୁଅ, କୌଣସି ପ୍ରକାରର ଖରାପ ଅଭ୍ୟାସ ତୁମ ଭିତରେ ଏବେ ରହିବା ଉଚିତ୍ ନୁହେଁ ।”
ପ୍ରଶ୍ନ:- ବ୍ରାହ୍ମଣ ପିଲାମାନଙ୍କୁ ବାବାଙ୍କଠାରୁ ପୂରା-ପୂରା ସମ୍ପତ୍ତି ନେବା ପାଇଁ କେଉଁ-କେଉଁ ଧାରଣାଗୁଡିକ ଉପରେ ଧ୍ୟାନ ଦେବାକୁ ହେବ?
ଉତ୍ତର:- (୧) ଏହି ଜନ୍ମରେ ବାବାଙ୍କର ହୋଇ ଏପରି କୌଣସି ପାପ କର୍ମ ନ ହେଉ ଯାହାପାଇଁ ୧୦୦ ଗୁଣା ଦଣ୍ଡ ଭୋଗ କରିବାକୁ ପଡିବ । (୨) ବାବା ଯିଏକି ଅତି ମିଠା ଅଟନ୍ତି ସିଏ ତୁମମାନଙ୍କୁ ନିଜ ଭଳି ମିଠା କରୁଛନ୍ତି ସେଥିପାଇଁ ତୁମମାନଙ୍କ ମୁଖରୁ କୌଣସି କଠୋର ବାଣୀ ନ ବାହାରୁ ଯାହାଦ୍ୱାରା ଅନ୍ୟମାନଙ୍କୁ ଦୁଃଖ ଅନୁଭବ ହେବ । (୩) ଦୁଃଖହର୍ତ୍ତା ସୁଖକର୍ତ୍ତାଙ୍କର ସନ୍ତାନ ହୋଇ ସମସ୍ତଙ୍କର ଦୁଃଖ ହରଣ କରିବାକୁ ହେବ । ମନ-ବଚନ-କର୍ମରେ ସମସ୍ତଙ୍କୁ ସୁଖ ଦେବାକୁ ହେବ । (୪) ନିନ୍ଦା-ସ୍ତୁତିରେ ସମାନ ସ୍ଥିତିରେ ରହିବାକୁ ହେବ ।

ଓମ୍ ଶାନ୍ତି । ସତଗୁରୁବାରକୁ ବୃକ୍ଷପତିଙ୍କର ଦିନ ମଧ୍ୟ କୁହାଯାଇଥାଏ । ବୃକ୍ଷପତି ଡେ ଅର୍ଥାତ୍ ବାବାଙ୍କର ଦିନ । ଅମାବାସ୍ୟା ଦିନ ଅନ୍ଧକାର ରାତ୍ର ଶେଷ ହୋଇ ପୁଣି ଦିନ ଆରମ୍ଭ ହୋଇଥାଏ । ଚନ୍ଦ୍ରମା ଉଦୟ ହେବା ଆରମ୍ଭ ହୋଇଥାଏ । ଆଜିକାଲି ଯେଉଁମାନଙ୍କର ଶ୍ରାଦ୍ଧ ହୋଇଥାଏ ତାଙ୍କୁ ଖୁଆଇ-ପିଆଇ ସନ୍ତୁଷ୍ଟ କରିଥାନ୍ତି, ତାଙ୍କୁ ମାଗିବାକୁ ପଡି ନ ଥାଏ । ସମସ୍ତଙ୍କୁ ତୃପ୍ତ କରାଯାଇଥାଏ । ଯଦି ଦିନକୁ ଚାଲିଗଲେ ପୁଣି ରାତିକୁ ଫେରି ଆସିବାର ଆବଶ୍ୟକତା ହିଁ ନାହିଁ । ଏହା ହିଁ ଅସଲ କାଇଦା ଅଟେ - ୧୨ ମାସ ପୁରା ହୋଇଗଲା ପରେ ତାଙ୍କୁ ଖୁଆଇ, ମୁକ୍ତ କରିଦେବାକୁ ପଡିଥାଏ । ପୁଣି ଅନ୍ଧକାର ରାତ୍ରିରେ କାହିଁକି ଡକାଯାଉଛି । କିନ୍ତୁ ବ୍ରାହ୍ମଣମାନେ ଏହି ନୀତି-ପ୍ରଥା ବନାଇ ଦେଇଛନ୍ତି, ଯାହାକି ଚାଲି ଆସୁଛି । ସେଥିରେ ତାଙ୍କୁ ଦକ୍ଷିଣା ଆଦି ମିଳି ଚାଲିବ । ତାହା ହେଉଛି ଏହି ସୃଷ୍ଟିର ଅମାବାସ୍ୟା । ଏବେ ବାବା ଆସିଛନ୍ତି ଅବିନାଶୀ ଅମାବାସ୍ୟା ସମୟରେ । ବାବା ଆସିଲେ ଅଧାକଳ୍ପର ଅନ୍ଧକାର ଦୂର ହୋଇଯାଇଥାଏ । ପୁଣି ସତ୍ୟଯୁଗରେ ଆଲୋକ ହିଁ ଆଲୋକ ହୋଇଥାଏ । ସେଠାରେ କେବେ କେହି ଶ୍ରାଦ୍ଧ ଆଦି ଖୁଆଇବେ ନାହିଁ । ଏହା ପୁଣି ହେଉଛି ବେହଦର ଅମାବାସ୍ୟା । ବ୍ରହ୍ମାଙ୍କର ରାତ୍ରି ଅର୍ଥାତ୍ ବ୍ରାହ୍ମଣମାନଙ୍କର ରାତ୍ରି ଶେଷ ହୋଇ ଦିନ ଆସିଯାଇଥାଏ । ପୁଣି ସେଠାରେ କେହି ଶ୍ରାଦ୍ଧ ଆଦି ଖୁଆଇ ନ ଥାନ୍ତି, ସେଠାରେ ବ୍ରାହ୍ମଣ ହିଁ ନ ଥାନ୍ତି । ଏମିତି ନୁହେଁ ଯେ ସେଠାରେ କେହି ମରନ୍ତି ନାହିଁ, କିନ୍ତୁ ସେଠାରେ ଏହି ନୀତି-ପ୍ରଥା ଆଦି ନ ଥାଏ । ଏଠାରେ ତ ଅନେକ ପ୍ରକାରର ବ୍ରାହ୍ମଣ ମଧ୍ୟ ଅଛନ୍ତି । ବର୍ତ୍ତମାନ ସମସ୍ତେ ଆଶା କରୁଛନ୍ତି ଯେ ଏକ ବିଶ୍ୱ ହେଉ, ଏକ ରାଷ୍ଟ୍ର ହେଉ । କିନ୍ତୁ ଏତେ ସମସ୍ତଙ୍କର ତ ଏକ ରାଷ୍ଟ୍ର ହୋଇପାରିବ ନାହିଁ । ହଁ ଗୋଟିଏ ରାଜ୍ୟ, ଗୋଟିଏ ନୀତି-ପ୍ରଥା ଥିଲା, ଯେବେକି ସତ୍ୟଯୁଗ ଥିଲା । ତାହା ତ ବାବା ହିଁ ଆସି ସ୍ଥାପନ କରୁଛନ୍ତି । ସେଠାରେ ସମସ୍ତେ ବିଲ୍‌କୁଲ୍ ମିଠା ହୋଇଥାନ୍ତି । ସେଠାରେ ଦୁଃଖର କୌଣସି କଥା ନ ଥାଏ । ସେଠାରେ କେବେ କେହି କଠୋର ଶବ୍ଦ କହି ନ ଥାନ୍ତି, ପାପ କରି ନ ଥାନ୍ତି । ଏବେ ଯିଏ ଯେତେ ପୁରୁଷାର୍ଥ କରିବେ, କ୍ରମାନୁସାରେ ସିଏ ସେତିକି ପଦ ପାଇବେ । ଏପରି ନୁହେଁ ଯେ ସେଠାରେ କେହି ଚୋରୀ ଆଦି କରିବେ । ନା । ସେଠାରେ ସମସ୍ତଙ୍କର ଭିତର ବାହାର ସ୍ୱଚ୍ଛ ରହିଥାଏ । ଏଠାରେ ଭିତର ଗୋଟିଏ ଓ ବାହାର ଆଉ ଗୋଟିଏ ହୋଇଥାଏ । ଜଣେ ଅନ୍ୟ ଜଣଙ୍କର କେତେ କ୍ଷତି କରୁଛନ୍ତି । ଏସବୁ ହେଉଛି ରାବଣ ରାଜ୍ୟର ବିକାରୀ ଚଞ୍ଚଳତା । ବାବା ବର୍ତ୍ତମାନ ଏହାକୁ ସମ୍ପୂର୍ଣ୍ଣ ଶେଷ କରିଦେଉଛନ୍ତି । ସମସ୍ତଙ୍କର ତୁରନ୍ତ ବିକାରୀ ଅଭ୍ୟାସ ତ ଶେଷ ହେଉ ନାହିଁ । ସେଥିପାଇଁ ସମୟ ଲାଗୁଛି । ଯେତେ-ଯେତେ ଯୋଗଯୁକ୍ତ ହେବ, ପ୍ରତି ପଦକ୍ଷେପରେ ନିଜକୁ ଦେଖିବ ଯେ ମୁଁ ଯୋଗରେ ରହୁଛି ନା ନାହିଁ । ମୁଁ କୌଣସି ପାପ କର୍ମ ତ କରୁନାହି! ମୁଁ ନିଜେ ମିଠା ହୋଇ ପୁଣି ଅନ୍ୟମାନଙ୍କୁ ମିଠା ସ୍ୱଭାବର କରାଉଛି? ଯଦି ନିଜେ ହିଁ କଠୋର ହୋଇଥିବ ତେବେ ଅନ୍ୟମାନଙ୍କୁ ମିଠା କିପରି କରିବ । ଏଠାରେ ଏହିପରି ସ୍ୱଭାବ ତୁରନ୍ତ ପ୍ରତ୍ୟକ୍ଷ ହୋଇ ଯାଇଥାଏ, ଲୁଚି ପାରିବ ନାହିଁ ।

ବାବା କହୁଛନ୍ତି - ଯଦି ମୋର ପିଲା ହୋଇ କୌଣସି ଓଲଟା-ସିଧା କର୍ମ କରିବ ତେବେ ବହୁତ କଠୋର ଦଣ୍ଡ ପାଇବ । ତୁମ୍ଭମାନଙ୍କର ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ଭଗବାନ ନିଜେ ଆସି ପାଠ ପଢାଉଛନ୍ତି ଦେବତା କରାଇବା ପାଇଁ । ଦେବତାମାନଙ୍କର ମହିମାରେ ଗାନ କରୁଛନ୍ତି - ସର୍ବଗୁଣ ସମ୍ପନ୍ନ... ଅହିଂସା ପରମୋଧର୍ମ । ହିଂସା ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ତ ହେଉଛି କାମ ବିକାରର ହିଂସା ଯାହା ଦ୍ୱାରା ମନୁଷ୍ୟ ଆଦି ମଧ୍ୟ ଅନ୍ତ ଦୁଃଖ ପାଉଛନ୍ତି । ଦ୍ୱିତୀୟରେ ପୁଣି କ୍ରୋଧରେ ଆସି ପରସ୍ପରକୁ ମାରି ଦୁଃଖ ଦେଉଛନ୍ତି, ପୁଣି ନିଜେ ଦୁଃଖୀ ହେଉଛନ୍ତି । ଏଠାରେ ତ ପିଲାମାନଙ୍କୁ କୁହାଯାଉଛି ଯେ ମନ-ବଚନ-କର୍ମରେ ଏପରି କୌଣସି କାମ କର ନାହିଁ । କାହାକୁ ଦୁଃଖ ଦିଅ ନାହିଁ । ଆମ୍ଭେମାନେ ହିଁ ହେଉଛୁ ଦୁଃଖହର୍ତ୍ତା ସୁଖକର୍ତ୍ତାଙ୍କର ସନ୍ତାନ । ତେବେ ସମସ୍ତଙ୍କୁ ଏହି ଯୁକ୍ତି ବତାଇବାକୁ ହେବ - ତୁମେ କିପରି ଦୁଃଖ ଦୂର କରି ସୁଖ ଦେବ । ତେବେ ଯାଇ କରିଥିବା ହିସାବ-କିତାବ ଚୁକ୍ତ ହୋଇଯିବ । ଏଠାରେ ବାବା ବୁଝାଉଛନ୍ତି ଯେ ଏହି ଜନ୍ମରେ ଯାହା କିଛି ପାପ କର୍ମ କରିଛ, ବାବାଙ୍କୁ କହିଦେବା ଦ୍ୱାରା ଅଧା ପାପ କଟିଯିବ । କିନ୍ତୁ ଅନେକ ଜନ୍ମର ପାପ କର୍ମ ମୁଣ୍ଡ ଉପରେ ତ ବହୁତ ରହିଛି ନା । ଏବେ ବାବା ବୁଝାଉଛନ୍ତି ଯେ ଏହି ଜନ୍ମରେ ମଧ୍ୟ ଏଭଳି କର୍ମ କରିବା ଅନୁଚିତ ଯାହା ଦ୍ୱାରା ପାପ ହେବ, ତା’ ସହିତ ଯୋଗବଳ ଦ୍ୱାରା ଅନେକ ଜନ୍ମର ପାପ କର୍ମ ଭସ୍ମ କରିବାକୁ ହେବ । ଏହି ଜନ୍ମରେ ବାବାଙ୍କର ହୋଇ କୌଣସି ବି ପାପ କର୍ମ କରିବା ଉଚିତ୍ ନୁହେଁ । ବ୍ରାହ୍ମଣ ହେବା ବିନା ତୁମ୍ଭମାନଙ୍କୁ ସମ୍ପତ୍ତି ମିଳିପାରିବ ନାହିଁ । ଇଏ ବାପଦାଦା ଅଟନ୍ତି ନା । ସମ୍ପତ୍ତି ତୁମ୍ଭମାନଙ୍କୁ ଶିବବାବାଙ୍କଠାରୁ ମିଳୁଛି, ବ୍ରହ୍ମାବାବାଙ୍କଠାରୁ ନୁହେଁ । ଇଏ ନିଜକୁ କିଛି ହେଲେ ଉପାଧି ଦେଉ ନାହାଁନ୍ତି । ଇଏ ତ କେବଳ ରଥ ଅଟନ୍ତି, ଏହାଙ୍କଠାରୁ ତୁମକୁ କିଛି ମିଳୁନାହିଁ । ରଥର ବି ତ ଗାୟନ କରାଯାଇଥାଏ । ହୁସେନଙ୍କର ରଥ ପରିକ୍ରମା କରାଇଥା’ନ୍ତି ନା । ହୁସେନଙ୍କର ଘୋଡାକୁ କେତେ ସଜାଇଥାନ୍ତି । ଏହା ତ ପତିତ ଶରୀର ଅଟେ ନା । ଇଏ ବି ଏବେ ସଜାଇ ହେଉଛନ୍ତି । ନିଜର ପୁରୁଷାର୍ଥ ଦ୍ୱାରା ହିଁ ସଜାଇ ହେଉଛନ୍ତି । ଏମିତି ନୁହେଁ ଯେ ବାବା ବ୍ରହ୍ମାଙ୍କର ସପକ୍ଷରେ କହୁ ନାହାଁନ୍ତି । ଏମିତି ତ ବାବା କେବେ-କେବେ ଥଟ୍ଟା-ମଜା କରୁଛନ୍ତି, ଯେ ଏହାଙ୍କୁ ଘରଭଡା ତ ମିଳିବ ନା । କିନ୍ତୁ ଯେପରି ତୁମକୁ ପୁରୁଷାର୍ଥ କରିବାକୁ ହେବ ସେହିପରି ଏହାଙ୍କୁ ମଧ୍ୟ କରିବାକୁ ହୋଇଥାଏ । ତାଙ୍କର ଏହି ଲୋଭ ନାହିଁ ଯେ ମୋତେ ଘରଭଡା ଦେବେ । ବାବା ତ ଏହିପରି ମଜାରେ କହିଦେଉଛନ୍ତି । ଆତ୍ମାକୁ ଯୋଗବଳ ଦ୍ୱାରା ହିଁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଯେତେ ଯୋଗ କରିବ ସେତେ ପବିତ୍ର ହେବ ଏବଂ ପୁଣି ନିଜ ସମାନ ମଧ୍ୟ କରିବାକୁ ହେବ । ତୁମ୍ଭମାନଙ୍କ ଭିତରେ ଯେଉଁମାନେ ଭଲ-ଭଲ ସେବାଧାରୀ ଅଛନ୍ତି, ସେମାନେ ନାମୀଗ୍ରାମୀ ଅଟନ୍ତି, ତୁମେମାନେ ତାଙ୍କୁ ଜାଣିଛ । ସେମାନଙ୍କୁ ବାବା ସେବା କରିବା ପାଇଁ ପଠାଇ ଦେଉଛନ୍ତି । ବହୁତ ମିଠା କଥା କହିବାକୁ ପଡିଥାଏ । କାହା ସହିତ ଲଢେଇ-ଝଗଡା କରିବାର ନାହିଁ । ଯଦି ବ୍ରାହ୍ମଣମାନେ କଟୁବଚନ କହିବେ ତେବେ ଅନ୍ୟମାନେ କହିବେ ଏହାଙ୍କ ପାଖରେ ତ କ୍ରୋଧର ଭୂତ ରହିଛି । ସ୍ତୁତି-ନିନ୍ଦାରେ ସମାନ ଅବସ୍ଥା ରହିବା ଆବଶ୍ୟକ । ଅନେକଙ୍କ ପାଖରେ କ୍ରୋଧର ଭୂତ ରହିଛି, ସେଥିପାଇଁ ଅନେକ ନାରାଜ ହୋଇଥାନ୍ତି । ଏପରି ନୁହେଁ ଯେ ସମସ୍ତଙ୍କର କ୍ରୋଧ ଛାଡିଗଲାଣି । ଯେତେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହେବାର ସମୟ ନ ଆସିଛି ସେତେ ପର୍ଯ୍ୟନ୍ତ ଧୀରେ-ଧୀରେ ଖାଦ ବାହାରି ଚାଲିଥିବ । ଏପରି କେହି କହିପାରିବେ ନାହିଁ ଯେ ମୋ ପାଖରେ କ୍ରୋଧ ନାହିଁ । କ୍ରୋଧ କାହା ପାଖରେ ଅଧିକ, କାହା ପାଖରେ କମ୍ ଥାଏ । କାହା-କାହାର କହିବାର ଶୈଳୀ ଏପରି ହୋଇଥାଏ ଯେପରି ଲଢେଇ କରୁଛନ୍ତି । ତେଣୁ ପିଲାମାନଙ୍କୁ ବହୁତ-ବହୁତ ମିଠା ହେବାକୁ ପଡିବ । ଏହିଠାରେ ହିଁ ସର୍ବଗୁଣ ସମ୍ପନ୍ନ ହେବାକୁ ପଡିବ । ବିକାର ତ ଅନେକ ପ୍ରକାରର ରହିଛି ନା । କ୍ରୋଧ କରିବା, ମିଛ କହିବା ଏସବୁ ବିକାର ଅଟେ ।

ବାବା କହୁଛନ୍ତି - ପିଲାମାନେ ଏବେ କୌଣସି ବିକର୍ମ କରିବ ତ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ । ସେଠାରେ ତ ମୋ ସହିତ ଦଣ୍ଡ ଦେବା ପାଇଁ ଧର୍ମରାଜ ମଧ୍ୟ ରହିବେ । ଏଠାରେ ପ୍ରତ୍ୟକ୍ଷ ଭାବରେ ଦଣ୍ଡ ମିଳୁଛି, ଧର୍ମରାଜଙ୍କର ଦଣ୍ଡ ଗୁପ୍ତ ଭାବରେ ମିଳିବ, ଗର୍ଭ ଜେଲରେ ମଧ୍ୟ ଦଣ୍ଡ ଭୋଗିଥା’ନ୍ତି । କାହାକୁ ଯଦି ରୋଗ ଆଦି ହେଉଛି - ତାହା ମଧ୍ୟ କର୍ମଭୋଗ ଅଟେ । ଧର୍ମରାଜଙ୍କ ଦ୍ୱାରା ଦଣ୍ଡ ମିଳିଥାଏ । ଆଗରୁ କରିଥିବା ପାପର ମଧ୍ୟ ଏବେ ଦଣ୍ଡ ମିଳୁଛି । ବର୍ତ୍ତମାନ କରିଥିବା ପାପର ଦଣ୍ଡ ମଧ୍ୟ ଏବେ ବି ମିଳିପାରିବ । ପୁଣି ଗର୍ଭ ଜେଲରେ ବି ମିଳିଥାଏ । ତାହା ହେଉଛି ଗୁପ୍ତ, ଧର୍ମରାଜ ସେଠାରେ ତ ଦଣ୍ଡ ଦେବେ ନାହିଁ ନା । ଏଠାରେ ପୁଣି ଶରୀର ଦ୍ୱାରା କର୍ମଭୋଗ ଚୁକ୍ତ କରିବାକୁ ପଡିଥାଏ । ଏବେ ବାବା ଆମକୁ ଏଥିରୁ ମୁକ୍ତ କରୁଛନ୍ତି । ବର୍ତ୍ତମାନ ପରମପିତା ପରମାତ୍ମା ଏବଂ ଧର୍ମରାଜ ବାବା ଉଭୟ ହାଜିର ଅଛନ୍ତି । ବର୍ତ୍ତମାନ ସମସ୍ତଙ୍କର ବିନାଶର ସମୟ ଅଟେ । ପ୍ରତ୍ୟେକଙ୍କର ନ୍ୟାୟିକ ବିଚାର ହେଉଛି । ଏହା ବି ଡ୍ରାମାରେ ନିଧାର୍ଯ୍ୟ ଅଛି । ଯେହେତୁ ତୁମ୍ଭେମାନେ ଜାଣୁଛ ଯେ - ସମ୍ପୂର୍ଣ୍ଣ ହେବାକୁ ପଡିବ, ତେବେ କୌଣସି ପାପ କର୍ମ କରିବାର ନାହିଁ । ନିଜର କଲ୍ୟାଣ ପାଇଁ ଯେତେ ଦୂର ସମ୍ଭବ ଭଲ ଭାବରେ ପୁରୁଷାର୍ଥ କରିବା ଦରକାର । ଏହା କଳ୍ପ-କଳ୍ପାନ୍ତରର କଥା ଅଟେ । ଦୁନିଆର ପାଠପଢା ଗୋଟିଏ ଜନ୍ମ ପାଇଁ ହୋଇଥାଏ । ଅନ୍ୟ ଜନ୍ମରେ ପୁଣି ଅନ୍ୟ ପାଠ, ଏହା ହେଉଛି ୨୧ ଜନ୍ମ ପାଇଁ ପାଠପଢା । ଅବିନାଶୀ ବାବା ଅବିନାଶୀ ପାଠ ପଢାଉଛନ୍ତି, ଯାହା ଦ୍ୱାରା ୨୧ ଜନ୍ମ ପାଇଁ ଅବିନାଶୀ ପଦ ମଧ୍ୟ ମିଳିଥାଏ । ବାବାଙ୍କଠାରୁ ୨୧ ଜନ୍ମ ପାଇଁ ବର୍ସା ମିଳିଥାଏ । ତୁମ୍ଭେମାନେ ଜାଣିଛ ଯେ ଏହା ପୁରୁଣା ଦୁନିଆ ଅଟେ, ନୂଆ ଦୁନିଆରେ ଏକମାତ୍ର ଭାରତ ଥିଲା । ଏବେ ପୁନର୍ବାର ଏହି ଚକ୍ର ଘୂରିବ । ନୂଆ ସୃଷ୍ଟି ସ୍ଥାପନ ହୋଇ ପୁରୁଣାର ବିନାଶ ହେବ । ଏକଥା ତ ଗାୟନ ରହିଛି ଯେ ପରମପିତା ପରମାତ୍ମା ଆସି ବ୍ରହ୍ମାଙ୍କ ଦ୍ୱାରା ନୂଆ ଦୁନିଆ ସ୍ଥାପନ କରିଥା’ନ୍ତି । ସେଥିପାଇଁ ବ୍ରାହ୍ମଣ ତ ନିଶ୍ଚିତ ଆବଶ୍ୟକ । ତାହା ହେଲେ ନିଶ୍ଚିତ ପବିତ୍ର ବି ହେଉଥିବେ, ରାଜଯୋଗ ବି ଶିଖୁଥିବେ । ଆମେ ବ୍ରହ୍ମାକୁମାର କୁମାରୀମାନେ ତ ପବିତ୍ର ହେଉଛୁ । ବାବା ଏକଥା କହୁନାହାଁନ୍ତି ଯେ ଘରଦ୍ୱାର ଛାଡିଦିଅ । ନା, ଗୃହସ୍ଥ ବ୍ୟବହାରରେ ରହି କମଳ ଫୁଷ୍ପ ତୁଲ୍ୟ ହୋଇ ରୁହ । ଏହି ‘ବାପଦାଦା’ ନାମ ବହୁତ ଭଲ । ଦାଦାଙ୍କ ଠାରୁ ସମ୍ପତ୍ତି ମିଳୁଛି । ସିଏ ସର୍ବୋଚ୍ଚ ଅଟନ୍ତି । ବ୍ରହ୍ମା ତ ପତିତ ଥିଲେ ନା । ଇଏ ପ୍ରଥମେ ଶ୍ରେଷ୍ଠାଚାରୀ ପୂଜ୍ୟ ମହାରାଜା ଥିଲେ । ଏବେ ଅନ୍ତିମ ସମୟରେ ଆସି ପତିତ ହୋଇଗଲେ । ଏହା ହେଉଛି ତାଙ୍କର ଅନ୍ତିମ ଜନ୍ମ । ଏହି ଦୁନିଆରେ କ’ଣ କେହି ପାବନ ହୋଇପାରିବେ? ପବିତ୍ର ଦୁନିଆରେ କେହି ବାବାଙ୍କୁ ମନେ ପକାଇବେ ନାହିଁ । ଗାୟନ ମଧ୍ୟ ରହିଛି ଆତ୍ମା ପରମାତ୍ମା ଅଲଗା ରହିଲେ ବହୁକାଳ.... ଏହାର ହିସାବ ମଧ୍ୟ ତୁମେମାନେ ବୁଝିଛ । ଯେଉଁମାନେ ସୂର୍ଯ୍ୟବଂଶୀ ଅଟନ୍ତି ସେମାନେ ପ୍ରଥମେ ପ୍ରଥମେ ନିଜର ସମ୍ପତ୍ତି ନେବାକୁ ଆସିବେ । ଏବେ ଯଦି ଆତ୍ମା ଶରୀର ତ୍ୟାଗ କରି ଗଲା, ତେବେ କହିଥା’ନ୍ତି ଆତ୍ମା ସ୍ୱର୍ଗକୁ ଗଲା । ପୁଣି ତାଙ୍କୁ ନର୍କକୁ ଡାକିବାର ଆବଶ୍ୟକତା କ’ଣ ଅଛି । କିଛି ହେଲେ ବି ବୁଝୁନାହାଁନ୍ତି । ଯେବେ ସାଧୁ-ସନ୍ଥ ଆଦି ଦେହ ତ୍ୟାଗ କରିଥାଆନ୍ତି, ତେବେ ତାଙ୍କର ବି ଶ୍ରାଦ୍ଧ ବାର୍ଷିକି ପାଳନ କରିଥାନ୍ତି, ଭୋଗ ମଧ୍ୟ ଲଗାଇଥାନ୍ତି । ସେମାନେ ଯେତେବେଳେ କହୁଛନ୍ତି ଯେ ଜ୍ୟୋତି-ଜ୍ୟୋତିରେ ମିଶିଗଲା ପୁଣି ଭୋଗ କାହିଁକି ଲଗାଉଛନ୍ତି । ପ୍ରତି ବର୍ଷ ଶ୍ରାଦ୍ଧ କାହିଁକି ପାଳନ କରୁଛନ୍ତି? ଶରୀର ତ ବିନାଶ ହୋଇଗଲା - ଆତ୍ମା ବି ଚାଲିଗଲା ପୁଣି ଆତ୍ମାକୁ ଡାକିବାର କ’ଣ ଆବଶ୍ୟକତା ଅଛି । ଆତ୍ମା ଜ୍ୟୋତିରେ ଲୀନ ହୋଇଗଲା । ପୁଣି ସିଏ କିପରି ଆସିପାରିବ । ଅନେକାନେକ ମତ ସବୁ ରହିଛି । ଏପରି ମଧ୍ୟ କହୁଛନ୍ତି ମନୁଷ୍ୟ ମୋକ୍ଷ ପାଇଯାଉଛି, ପୁଣି ଆସୁନାହିଁ । ଯଦି ମୋକ୍ଷପ୍ରାପ୍ତ କଲା, ତେବେ ଆହୁରି ଖୁସି ହେବା ଦରକାର, ଆତ୍ମା ଅଭିନୟ କରିବାରୁ ମୁକ୍ତ ହୋଇଗଲା । ପୁଣି ତ ସେମାନଙ୍କୁ ମନେ ବି ପକାଇବା ଦରକାର ନାହିଁ । ଏକଥା ମଧ୍ୟ ତୁମେମାନେ ଜାଣିଛ - ସବୁ ମନୁଷ୍ୟ ମାତ୍ରକେ ଏକମାତ୍ର ବାବାଙ୍କୁ ନିଶ୍ଚିତ ସ୍ମରଣ କରୁଛନ୍ତି । ମାନୁଛନ୍ତି ମଧ୍ୟ ଆମେ ସମସ୍ତେ ଭାଇ-ଭାଇ ଅଟୁ । ତେବେ ଭାଇମାନଙ୍କୁ ପିତାଙ୍କଠାରୁ ସମ୍ପତ୍ତି ନିଶ୍ଚୟ ମିଳିବା ଦରକାର । ସବୁ ଆତ୍ମାମାନଙ୍କର ସଦ୍‌ଗତିଦାତା ଜଣେ ଅଟନ୍ତି । ସମସ୍ତ ଆତ୍ମାମାନଙ୍କୁ ଘରକୁ ଫେରିବାକୁ ହେବ । ମନୁଷ୍ୟ, ମନୁଷ୍ୟମାନଙ୍କୁ କିପରି ସଦ୍‌ଗତି ଦେଇପାରିବେ । ସେଥିପାଇଁ ସମସ୍ତଙ୍କର ସଦ୍‌ଗତି ଦାତା ଏକମାତ୍ର ଜଣଙ୍କର ନାମ ପ୍ରସିଦ୍ଧ ରହିଛି । ସିଏ ହିଁ ଜ୍ଞାନର ସାଗର, ପତିତ-ପାବନ ଅଟନ୍ତି । ସେହି ବାବା ଆସି ଆମକୁ ରାଜଯୋଗ ଶିଖାଉଛନ୍ତି । ସମସ୍ତଙ୍କୁ ରାବଣ ରାଜ୍ୟରୁ ମୁକ୍ତ କରୁଛନ୍ତି, ଏହାକୁ ବେହଦର ଅମାବାସ୍ୟା କୁହଯିବ, ଅଧାକଳ୍ପ ହେଉଛି ବେହଦର ରାତି ପୁଣି ଅଧାକଳ୍ପ ହେଉଛି ବେହଦର ଦିନ । ଏହା ଏକ ଖେଳ ଅଟେ । ଯେବେ ଆଧ୍ୟାତ୍ମିକ ସମାରୋହ ପାଇଁ ଡାକୁଛନ୍ତି - ଶାନ୍ତି କିପରି ହେବ, ତେବେ ସେଠାରେ କହିବା ଆବଶ୍ୟକ - ଗୋଟିଏ ଧର୍ମ, ଗୋଟିଏ ମତ ସତ୍ୟଯୁଗରେ ହିଁ ହୋଇଥାଏ । ଯାହାକୁ ୫ ହଜାର ବର୍ଷ ହୋଇଗଲା । ସେଠାରେ ସୁଖ-ଶାନ୍ତି ସବୁ କିଛି ଥିଲା, ବାକି ସବୁ ଆତ୍ମାମାନେ ଶାନ୍ତିଧାମରେ ଥିଲେ । ନୂଆ ଦୁନିଆରେ ଗୋଟିଏ ହିଁ ଧର୍ମ ଥିଲା । ପୁରୁଣା ଦୁନିଆରେ ଏହି ମନୁଷ୍ୟ ରୂପୀ ବୃକ୍ଷ କେତେ ବଢିଯାଉଛି । ଅନେକ ଧର୍ମ ରହିଛି । ବର୍ତ୍ତମାନ ଅନେକ ଧର୍ମ ଗୁଡିକର ବିନାଶ ଏବଂ ଗୋଟିଏ ଧର୍ମର ସ୍ଥାପନା କରିବା, ଏହା ବାବାଙ୍କର ହିଁ କାମ ଅଟେ । ଶିବବାବା କହୁଛନ୍ତି - ଏହା ମୋର କାମ । ମୁଁ କଳ୍ପ-କଳ୍ପ ଆସି ଏହି କାର୍ଯ୍ୟ କରୁଛି । ସତ୍ୟଯୁଗୀ ରାଜଧାନୀ ପାଇଁ ରାଜଯୋଗ ନିଶ୍ଚୟ ସଂଗମଯୁଗରେ ହିଁ ଶିଖାଇବେ । ବାବା ସବୁ ପତିତମାନଙ୍କୁ ପାବନ କରୁଛନ୍ତି । କହୁଛନ୍ତି ମୁଁ ଆସୁଛି ବହୁତ ଜନ୍ମର ଅନ୍ତିମ ଜନ୍ମର ଅନ୍ତ ସମୟରେ । ଯିଏ ପୂରା ୮୪ ଜନ୍ମ ନେଇଛନ୍ତି, ତାଙ୍କ ରଥରେ ହିଁ ଆସି ବୁଝାଉଛି । ବର୍ତ୍ତମାନ ନୂଆ ଦୁନିଆ ତ ନାହିଁ । ମୁଁ ପୁରୁଣା ଦୁନିଆରେ ହିଁ ଆସି ନୂଆ ଦୁନିଆ ସ୍ଥାପନ କରୁଛି । ପତିତ ଦୁନିଆକୁ ପବିତ୍ର କରୁଛି । ମୋର ନାମ ହିଁ ହେଉଛି ଦୁଃଖହର୍ତ୍ତା, ସୁଖକର୍ତ୍ତା । ସୁଖରେ ମୋତେ କେହି ୟାଦ କରୁନାହାଁନ୍ତି, ଦୁଃଖରେ ମୋତେ ୟାଦ କରୁଛନ୍ତି । ତେବେ ନିଶ୍ଚୟ କେବେ ସୁଖ ମିଳିଥିଲା ।

ବାବା କହୁଛନ୍ତି ମୁଁ ଆସିଛି ପାଠ ପଢାଇବା ପାଇଁ । ଏବେ ପାଠ ପଢିବା ହେଉଛି ତୁମର କାମ । ମନୁଷ୍ୟମାନେ ତ ଘୋର ଅନ୍ଧକାରରେ ଅଛନ୍ତି । ତୁମ୍ଭେମାନେ ମଧ୍ୟ କିଛି ଜାଣି ନ ଥିଲ । ଏହି ସମୟରେ ସାରା ଦୁନିଆର ନୌକା ବୁଡି ଯାଇଛି, ସମସ୍ତେ କେତେ ଦୁଃଖୀ ହୋଇଯାଇଛନ୍ତି । ତୁମେ ସମସ୍ତଙ୍କର ନୌକାକୁ ପାର କରୁଛ, ସମସ୍ତେ ଶାନ୍ତିଧାମକୁ ଚାଲିଯିବେ । ଏହି କଥା ତୁମ୍ଭମାନଙ୍କ ବୁଦ୍ଧିରେ କ୍ରମାନୁସାରେ ରହିଛି । ଯେଉଁମାନେ ଲାଇଟ୍ ହାଉସ ଅର୍ଥାତ୍ ବତୀଘର ସଦୃଶ ହୋଇଥିବେ, ସେହିମାନେ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇ ଚାଲିବେ । ତାଙ୍କର କାମ ହିଁ ହେଉଛି ରାସ୍ତା ବତାଇବା । ପିଲାମାନଙ୍କୁ ବାବା ଆସି କିପରି ପଢାଉଛନ୍ତି, ଏହାର ସ୍ଥାୟୀ ଖୁସି ତ ରହିବା ଦରକାର । ଏଠାକୁ ଆସି ବହୁତ ସତେଜ ଓ ତୃପ୍ତ ହୋଇଯାଉଛନ୍ତି, ବାହାରକୁ ଯିବା ଦ୍ୱାରା ନିଶା ଛାଡିଯାଉଛି । ବାବାଙ୍କଠାରୁ ପୂରା-ପୂରା ସମ୍ପତ୍ତି ନେବାର ଇଚ୍ଛା ରଖିବା ଦରକାର । ପାଦ-ପାଦରେ ବାବାଙ୍କଠାରୁ ରାୟ ନେଇ ଚାଲିବା ଉଚିତ୍ । ଆଗରୁ ତୀର୍ଥ ଆଦିକୁ ପାଦରେ ଚାଲି-ଚାଲି ଯାଉଥିଲେ, ବହୁତ ସତର୍କତାର ସହିତ ଯାଉଥିଲେ । ବର୍ତ୍ତମାନ ସମୟରେ ତ ବସ ଟ୍ରେନରେ ଯାଉଛନ୍ତି । ବର୍ତ୍ତମାନ ସମୟରେ ମାୟାର ବହୁତ ଆଡମ୍ବର ରହିଛି । ସତ୍ୟଯୁଗରେ ଆଡମ୍ବର ଥିଲା, ପୁଣି ଦ୍ୱାପରରୁ ବିଲୁପ୍ତ ହୋଇଚାଲିଲା । ଏବେ ପୁଣି ଶେଷ ସମୟରେ ଆରମ୍ଭ ହୋଇଛି, ଏହାକୁ ମାୟାର ପମ୍ପ (ଆଡମ୍ବର) କୁହାଯାଉଛି । ଯଦି କାହାକୁ କହିବ ସ୍ୱର୍ଗକୁ ଚାଲ, ତେବେ କହିବେ ଆମେ ଏହିଠାରେ ହିଁ ସୁଖରେ ଅଛୁ । ମୋଟର, ଉଡାଜାହାଜ ଆଦି ସବୁ ଅଛି । ଆମମାନଙ୍କ ପାଇଁ ଏହିଠାରେ ହିଁ ସ୍ୱର୍ଗ ରହିଛି । ଧନ, ସମ୍ପତ୍ତି, ଅଳଙ୍କାର ଆଦି ସବୁ ଅଛି । ଯେହେତୁ ଲକ୍ଷ୍ମୀ-ନାରାୟଣଙ୍କର ମଧ୍ୟ ଅଳଙ୍କାର ଅଛି ନା । ତାହା ହେଲେ ଆମେ ବି ପିନ୍ଧିପାରିବୁ । ସେମାନଙ୍କୁ କେତେ ବି ବୁଝାଅ ତଥାପି ସେମାନଙ୍କ ମନରେ ବିଷ ପ୍ରତି ଆସକ୍ତି ରହିଥାଏ । ବିଷ ଅର୍ଥାତ୍ ବିକାର ବିନା ରହିପାରିବେ ନାହିଁ । ବାବା କହୁଛନ୍ତି - ତୁମ୍ଭେମାନେ ମୋ କଥା ମାନୁ ନାହଁ । ଯଦି ପବିତ୍ର ହେଉନାହଁ, ତେବେ ମୋତେ ଡାକୁଛ ହିଁ କାହିଁକି ଯେ ହେ ପତିତ-ପାବନ ଆସ । ମନେ ରଖ ଯଦି ଏବେ ମାନିବ ନାହିଁ ତେବେ ବାବା ଧର୍ମରାଜଙ୍କ ଦ୍ୱାରା ଦଣ୍ଡ ଦେବେ । ବାବା ଡରାଉଛନ୍ତି ମଧ୍ୟ । ବହୁତ ସନ୍ତାନ ବିକାରର ବଶୀଭୂତ ହୋଇଯାଉଛନ୍ତି, ସେମାନଙ୍କର ଡର ହିଁ ନାହିଁ । ସେମାନେ ଧର୍ମରାଜ ପୁରୀରେ କେତେ ଚାବୁକ ପାହାର ଖାଇବେ, ସେ କଥା ନ କହିଲେ ଭଲ । ସେମାନଙ୍କର ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ତେଣୁ ପୁରୁଷାର୍ଥ କରି ଉଚ୍ଚ ପଦ ପାଇବା ଦରକାର ନା । ସଂଗଦୋଷରେ ଆସି ଏପରି ତଳକୁ ଖସି ଯାଉଛନ୍ତି, ଏକଦମ ନିଜର ପଦ ହରାଇ ଦେଉଛନ୍ତି । ତୁମ୍ଭେମାନେ ଜାଣିଛ ଏବେ ହୀରା ଆଦିର ଖଣିଗୁଡିକ ଖାଲି ହୋଇଚାଲିଛି, ପୁଣି ଭରପୁର ହୋଇଯିବ । ସେଠାରେ ସୁନା, ହୀରାର ପାହାଡ ଥାଏ । ହୀରାକୁ ଯେତେବେଳେ ଖୋଳି ବାହାର କରିଥାନ୍ତି, ତେବେ ତାହା ପ୍ରଥମେ ପଥର ଅବସ୍ଥାରେ ଥାଏ, ପୁଣି ତାକୁ ସଫା କରି ହୀରା କରିଥାନ୍ତି । ବାବା ତୁମକୁ ମଧ୍ୟ ଜ୍ଞାନର ସିରାନ ଅର୍ଥାତ୍ ହୀରାକୁ ସଫା କରିବାର ମେସିନ ଉପରେ ଚଢାଉଛନ୍ତି, ତେଣୁ ତୁମ୍ଭେମାନେ କେତେ ସୁନ୍ଦର ହୋଇଯାଉଛ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—

(୧) ଏବେ ମହାବିନାଶର ସମୟ, ସେଥିପାଇଁ କୌଣସି ବି ପାପ କର୍ମ କରିବାର ନାହିଁ । ନିଜର କଲ୍ୟାଣ ପାଇଁ ପୁରୁଷାର୍ଥ କରିବାକୁ ହେବ, ବହୁତ ମିଠା ହେବାକୁ ପଡିବ । କ୍ରୋଧକୁ ଛାଡି ଦେବାକୁ ହେବ ।

(୨) ବାବାଙ୍କଠାରୁ ପୂରା-ପୂରା ସମ୍ପତ୍ତି ନେବାର ଇଚ୍ଛା ରଖିବାକୁ ହେବ । ପ୍ରତି ପାଦରେ ବାବାଙ୍କର ରାୟ ନେବାକୁ ହେବ । ବାବାଙ୍କ ସମାନ ଦୁଃଖହର୍ତ୍ତା ସୁଖକର୍ତ୍ତା ହେବାକୁ ପଡିବ ।

ବରଦାନ:- ନିଜର ଭାଗ୍ୟ ଏବଂ ଭାଗ୍ୟ ବିଧାତାଙ୍କର ସ୍ମୃତି ଦ୍ୱାରା ସମସ୍ତ ଜଟିଳ ପରିସ୍ଥିତିରୁ ମୁକ୍ତ ରହୁଥିବା ମାଷ୍ଟର ରଚୟିତା ଭବ ।
ସର୍ବଦା ବାଃ ମୋ’ର ଭାଗ୍ୟ ଏବଂ ବାଃ ଭାଗ୍ୟ ବିଧାତା! ମନର ଏହି ସୂକ୍ଷ୍ମ ଶବ୍ଦକୁ ଶୁଣୁଥାଅ ଏବଂ ଖୁସିରେ ନାଚୁଥାଅ । ଯାହା ଜାଣିବାର ଥିଲା ତାହା ଜାଣିଗଲି, ଯାହା ପାଇବାର ଥିଲା ତାହା ପାଇଗଲି - ଯଦି ଏହି ଅନୁଭବରେ ରହିବ, ତେବେ ସବୁ ପ୍ରକାରର ଜଟିଳ ପରିସ୍ଥିତିରୁ ମୁକ୍ତ ହୋଇଯିବ । ବର୍ତ୍ତମାନ ଭିନ୍ନ ଭିନ୍ନ ପରିସ୍ଥିତି ଭିତରେ ଛନ୍ଦି ହୋଇ ରହିଥିବା ଆତ୍ମାମାନଙ୍କୁ ମୁକ୍ତ କରିବାର ସମୟ ସେଥିପାଇଁ ମୁଁ ମାଷ୍ଟର ସର୍ବଶକ୍ତିମାନ ଅଟେ, ମାଷ୍ଟର ରଚୟିତା ଅଟେ - ଏହି ସ୍ମୃତି ଦ୍ୱାରା ଛୋଟ ଛୋଟ ପିଲାଳିଆମି କଥାରେ ସମୟ ନଷ୍ଟ କର ନାହିଁ ।
ସ୍ଲୋଗାନ:- କମଳ ଆସନଧାରୀ ହିଁ ମାୟାର ଆକର୍ଷଣଠାରୁ ମୁକ୍ତ ତଥା ବାବାଙ୍କର ସ୍ନେହରେ ଅତିପ୍ରିୟ ଶ୍ରେଷ୍ଠ କର୍ମଯୋଗୀ ଅଟନ୍ତି ।

*** ଓମ୍ ଶାନ୍ତି ***

ଅବ୍ୟକ୍ତ ଈଶାରା:- ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।

ପୁରୁଷାର୍ଥରେ ସରଳତା, ବ୍ରହ୍ମାବାବାଙ୍କ ସମାନ ଉପରାମ ଏବଂ ସାକ୍ଷୀଦ୍ରଷ୍ଟାର ସଂସ୍କାର, ଏହା ହିଁ ହେଉଛି ସମ୍ପୂର୍ଣ୍ଣ ସ୍ଥିତିର ଲକ୍ଷଣ । ତେଣୁ ଏବେ ଏହି ସବୁ ସଂସ୍କାର ଗୁଡିକରେ ସମାନତା ଆଣିବାକୁ ହେବ । ଏହି ଆଧାରରେ ହିଁ ସମସ୍ତଙ୍କର ହୃଦୟ ଉପରେ ବିଜୟ ପ୍ରାପ୍ତ କରିପାରିବ, ଯିଏ ସଂଗମଯୁଗରେ ସମସ୍ତଙ୍କର ହୃଦୟ ଉପରେ ବିଜୟୀ ହୋଇଥାଏ, ସେ ହିଁ ଭବିଷ୍ୟତରେ ବିଶ୍ୱ ମହାରାଜା ହୋଇଥାଏ ।

ମୁରଲି କ'ଣ?

ମୁରଲି ହେଉଛି ବ୍ରହ୍ମାକୁମାରୀମାନଙ୍କ ଦୈନିକ ଆଧ୍ୟାତ୍ମିକ ଶିକ୍ଷା, ଯାହା ପ୍ରତିଦିନ ସକାଳେ ମଧୁବନରୁ ପ୍ରକାଶିତ ହୁଏ। ଏଠାରେ ଆପଣ ଆଜିର ମୁରଲି ଓଡ଼ିଆରେ ପଢ଼ିପାରିବେ, ଅଡିଓ ଶୁଣିପାରିବେ ଏବଂ PDF ଡାଉନଲୋଡ୍ କରିପାରିବେ। ଅଧ୍ୟୟନରେ ସହାୟତା ପାଇଁ ପାଠରେ ହାଇଲାଇଟ୍ କରିପାରିବେ — ଆପଣଙ୍କ ଚିହ୍ନ ଏହି ବ୍ରାଉଜରରେ ସୁରକ୍ଷିତ ରହେ।

28ଟି ଭାଷାରେ ମୁରଲି

Daily Murli · Madhuban ଉତ୍ସ: ମଧୁବନ ମୁରଲି ବିଭାଗ ଏହା ଏକ ସ୍ୱତନ୍ତ୍ର ପାଠକ ଆପ୍, ସରକାରୀ ୱେବସାଇଟ୍ ନୁହେଁ।