| 25/05/25 |
ପ୍ରାତଃ ମୁରଲୀ
ଓମ୍ ଶାନ୍ତି
“ଅବ୍ୟକ୍ତ ବାପଦାଦା”
|
ପୁନରାବୃତ୍ତି: ୪-୯-୨୦ ମଧୁବନ |
“ଶିକ୍ଷା ଦେବା ସହିତ କ୍ଷମା ଏବଂ ଦୟାକୁ ଆପଣାଇ ନିଅ, ଆଶୀର୍ବାଦ ଦିଅ ଏବଂ ଆଶୀର୍ବାଦ ନିଅ ତେବେ ତୁମର ଘର ଆଶ୍ରମ ହୋଇଯିବ”
ଆଜି ବାପଦାଦା ସବୁ ପିଲାଙ୍କର ମସ୍ତକରେ ପବ୍ରିତତାର ରେଖାକୁ ଦେଖୁଛନ୍ତି କାହିଁକି ନା ବ୍ରାହ୍ମଣ ଜୀବନର ମୂଳଦୁଆ ହିଁ ପବିତ୍ରତା ଅଟେ । ତେବେ ପବିତ୍ରତାର ରେଖାଗୁଡିକ କ’ଣ, ତାହା ଜାଣିଛ ତ? ପବିତ୍ରତା ସମସ୍ତଙ୍କୁ ପ୍ରିୟ ଅଟେ । ପବିତ୍ରତା, ସୁଖ, ଶାନ୍ତି, ପ୍ରେମ, ଆନନ୍ଦର ଜନନୀ ଅଟେ । ପବିତ୍ରତା ମାନବ ଜୀବନର ସଚ୍ଚା ଶୃଙ୍ଗାର ଅଟେ । ଯଦି ପବିତ୍ରତା ନାହିଁ ତେବେ ମାନବ ଜୀବନର କୌଣସି ମୂଲ୍ୟ ନାହିଁ । ଯେପରି ତୁମେମାନେ ଦେଖୁଛ ଦେବତାମାନେ ପବିତ୍ର ଅଟନ୍ତି ସେଥିପାଇଁ ହିଁ ସେମାନେ ମାନନୀୟ ଏବଂ ପୂଜନୀୟ ଅଟନ୍ତି । ପବିତ୍ରତା ନ ଥିବା କାରଣରୁ ମାନବ ଜୀବନ କ’ଣ ହୋଇଯାଇଛି, ତାହା ତ ତୁମେମାନେ ଆଜିକାଲି ଦେଖୁଛ । ବାପଦାଦା ତୁମ ସମସ୍ତଙ୍କୁ ବ୍ରାହ୍ମଣ ଜନ୍ମର ବରଦାନ ଏହା ହିଁ ଦେଇଛନ୍ତି - ପବିତ୍ର ଭବ, ଯୋଗୀ ଭବ । ଯେଉଁ ଆତ୍ମା ଭିତରେ ପବିତ୍ରତା ରହିଛି ତା’ର ଚାଲି-ଚଳନ, ଚେହେରା ଚମକୁଥାଏ, ତେଣୁ ପବିତ୍ରତା ହିଁ ଜୀବନକୁ ଶ୍ରେଷ୍ଠ କରିଥାଏ । ବାସ୍ତବରେ ତୁମ ପିଲାମାନଙ୍କର ଆଦି ସ୍ୱରୂପ ହିଁ ପବିତ୍ରତା ଅଟେ । ଅନାଦି ସ୍ୱରୂପ ମଧ୍ୟ ପବିତ୍ରତା ଅଟେ । ଏହିଭଳି ପବିତ୍ର ଆତ୍ମାମାନଙ୍କର ବିଶେଷତା ହେଲା ସେମାନଙ୍କ ଜୀବନରେ ସଦାସର୍ବଦା ପବିତ୍ରତାର ବ୍ୟକ୍ତିତ୍ୱ ଦେଖାଯାଉଥାଏ । ପବିତ୍ରତାର ରିୟଲୀଟୀ ଅର୍ଥାତ୍ ବାସ୍ତବିକତା ଏବଂ ପବିତ୍ରତାର ରୟାଲୀଟୀ ଅର୍ଥାତ୍ ରାଜକୀୟତା ସେମାନଙ୍କର ଚେହେରା ଏବଂ ଚାଲି-ଚଳନରେ ଦେଖାଯାଇଥାଏ । ଏହିସବୁ ପବିତ୍ରତାର ରେଖାଗୁଡିକ ହିଁ ଜୀବନର ଶୃଙ୍ଗାର ଅଟେ । ତେଣୁ ପବିତ୍ରତାର ରିୟଲୀଟୀ ଅର୍ଥାତ୍ ବାସ୍ତବିକତା ବା ସତ୍ୟତା ହେଲା - ମୁଁ ଅନାଦି ଆଦି ସ୍ୱରୂପ ପବିତ୍ର ଆତ୍ମା ଅଟେ, ଏହି ସ୍ମୃତି ଦ୍ୱାରା ସ୍ଥିତି ସମର୍ଥ ହୋଇଯାଏ । ରୟାଲୀଟୀ ଅର୍ଥାତ୍ ରାଜକୀୟତା ହେଲା - ନିଜେ ମଧ୍ୟ ସର୍ବଦା ସ୍ୱମାନରେ ରହିବା ଏବଂ ସମସ୍ତଙ୍କୁ ସମ୍ମାନ ଦେଇ ଚଲାଇବା ଏବଂ ପର୍ସନାଲିଟୀ ଅର୍ଥାତ୍ ବ୍ୟକ୍ତିତ୍ୱ ହେଲା - ସର୍ବଦା ସନ୍ତୁଷ୍ଟତା ଏବଂ ପ୍ରସନ୍ନତା କାୟମ ରହିଥିବ । ନିଜେ ମଧ୍ୟ ସନ୍ତୁଷ୍ଟ ରହୁଥିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରୁଥିବ । ତେବେ ପବିତ୍ରତା ଦ୍ୱାରା ପ୍ରାପ୍ତି ମଧ୍ୟ ଅନେକ ହୋଇଥାଏ । ବାପଦାଦା ତୁମମାନଙ୍କୁ କେଉଁ କେଉଁ ପ୍ରାପ୍ତି ସବୁ କରାଇଛନ୍ତି, କେତେ ସମ୍ପତ୍ତିରେ ଭରପୂର କରିଛନ୍ତି, ତାହା ତ ଜାଣିଛ ନା! ଯଦି ସେହି ପ୍ରାପ୍ତିଗୁଡିକୁ ସର୍ବଦା ସ୍ମୃତିରେ ରଖିବ ତେବେ ଭରପୂର ହୋଇଯିବ ।
ତେବେ ସର୍ବ ପ୍ରଥମ ସମ୍ପତ୍ତି ହେଲା – ଜ୍ଞାନ ରୂପକ ସମ୍ପତ୍ତି । ଯାହା ଦ୍ୱାରା ଜୀବନରେ ଥାଇ ମଧ୍ୟ ଦୁଃଖ ଅଶାନ୍ତିରୁ ମୁକ୍ତ ହୋଇଯାଉଛ । ବ୍ୟର୍ଥ ସଂକଳ୍ପ, ନକାରାତ୍ମକ ସଂକଳ୍ପ, ବିକଳ୍ପ ତଥା ବିକର୍ମ ଠାରୁ ମଧ୍ୟ ମୁକ୍ତ ହୋଇଯାଉଛ । ଯଦି କୌଣସି ବି ବ୍ୟର୍ଥ ସଂକଳ୍ପ ବା ବିକଳ୍ପ ଆସୁଛି ତେବେ ଜ୍ଞାନର ବଳ ଦ୍ୱାରା ବିଜୟୀ ହୋଇଯାଉଛ ।
ଦ୍ୱିତୀୟ ସମ୍ପତ୍ତିଟି ହେଲା - ସ୍ମୃତି ବା ଯୋଗ । ଯାହା ଆଧାରରେ ଶକ୍ତିଗୁଡିକ ପ୍ରାପ୍ତ ହେଉଛି ଏବଂ ସେହି ଶକ୍ତିଗୁଡିକ ଆଧାରରେ ସର୍ବ ସମସ୍ୟାକୁ, ସର୍ବ ବିଘ୍ନକୁ ସହଜରେ ଅତିକ୍ରମ କରିଯାଉଛ ।
ତୃତୀୟ ସମ୍ପତ୍ତିଟି ହେଲା - ଧାରଣା ରୂପକ ସମ୍ପତ୍ତି । ଯାହା ଆଧାରରେ ସର୍ବଗୁଣର ପ୍ରାପ୍ତି ହେଉଛି । ଏବଂ ଚତୁର୍ଥ ସମ୍ପତ୍ତି ହେଲା - ସେବା । ଯାହାଦ୍ୱାରା ସେବା ପାଉଥିବା ଆତ୍ମାମାନଙ୍କଠାରୁ ଆଶୀର୍ବାଦ ମିଳୁଛି ଏବଂ ଖୁସି ମଧ୍ୟ ପ୍ରାପ୍ତ ହେଉଛି ।
ତେଣୁ ଏତିକି ଗୁଡିଏ ସମ୍ପତ୍ତି ବାବାଙ୍କ ଦ୍ୱାରା ସବୁ ପିଲାଙ୍କୁ ପ୍ରାପ୍ତ ହେଉଛି । ବାବା ମଧ୍ୟ ସମସ୍ତଙ୍କୁ ଏକାଭଳି ହିଁ ସମ୍ପତ୍ତି ଦେଉଛନ୍ତି । କାହାକୁ କମ୍ କାହାକୁ ଅଧିକ ଦେଉ ନାହାଁନ୍ତି । କିନ୍ତୁ ନେବାବାଲାଙ୍କ ଭିତରେ ଫରକ ଆସିଯାଉଛି । କେତେକ ପିଲା ତ ସମ୍ପତ୍ତିକୁ ପାଇବା ପରେ ତା’କୁ ଖାଇ-ପିଇ ମଉଜ ମଜଲିଶ୍ କରି ସମ୍ପତ୍ତିକୁ ଶେଷ କରିଦେଉଛନ୍ତି । ଆଉ କେତେକ ପିଲା ଖାଇବା, ପିଇବା ମଉଜ କରିବା ସହିତ ଜମା ମଧ୍ୟ କରୁଛନ୍ତି । ଆଉ କେହି କେହି ପିଲା କାର୍ଯ୍ୟରେ ମଧ୍ୟ ଲଗାଉଛ, ଏପଟେ ମଧ୍ୟ ବଢାଇ ଚାଲିଛନ୍ତି । ତେବେ ସମ୍ପତ୍ତିକୁ ବଢାଇବାର ଚାବୀ ହେଲା - ସମ୍ପତ୍ତିକୁ ନିଜ ପ୍ରତି ଏବଂ ଅନ୍ୟମାନଙ୍କ ପ୍ରତି ବ୍ୟବହାର କରିବା । ତେଣୁ ଯିଏ ବ୍ୟବହାର କରିଥାଏ ଅର୍ଥାତ୍ କାର୍ଯ୍ୟରେ ଲଗାଇଥାଏ ସିଏ ବଢାଇଥାଏ । ଏବେ ନିଜେ ନିଜକୁ ପଚାର ଯେ ଏହି ବିଶେଷ ସମ୍ପତ୍ତି ଗୁଡିକ ମୋ’ ପାଖରେ ଜମା ଅଛି ତ? କ’ଣ ଜମା ଅଛି ତ, କ’ଣ କରୁଛ? ହଁ, ନା ଅଳ୍ପ ଅଳ୍ପ? ଯାହା ପାଖରେ ଏହି ସବୁ ସମ୍ପତ୍ତିଗୁଡିକ ଜମା ଅଛି ସେ ସର୍ବଦା ଭରପୁର ରହିଥିବ । ଦେଖ କୌଣସି ଜିନିଷ ଯେତେବେଳେ ଭରପୂର ରହିଥାଏ, ସେତେବେଳେ ଆଉ ହଲଚଲ୍ ହୋଇ ନ ଥାଏ । ଯଦି ଭରପୂର ନୁହେଁ ତେବେ ହଲଚଲ୍ ହୋଇଥାଏ । ଦୋହଲିଥାଏ । କୌଣସି ବି ଜିନିଷକୁ ଯଦି ଭଲ ଭାବରେ ଭରି ନ ଦେବ ତେବେ ତାହା ହଲଚଲ୍ ହେବ, ସେହିଭଳି ଏଠାରେ ମଧ୍ୟ ସର୍ବ ସମ୍ପତ୍ତିରେ ଯଦି ଭରପୂର ନୁହେଁ ତେବେ ହଲଚଲ୍ ହେବ । ତେଣୁ ସର୍ବଦା ଏହି ନିଶା ରହୁ ଯେ ବାବାଙ୍କର ସମ୍ପତ୍ତି ମୋ’ଣ ଜନ୍ମ ସିଦ୍ଧ ଅଧିକାର । ବାବା ଦେଲେ, ତୁମେମାନେ ନେଲ, ତେବେ ସବୁ ସମ୍ପତ୍ତି କାହାର ହେଲା? ତୁମର ହୋଇଗଲା ନା! ତେବେ ଯାହା ପାଖରେ ସମ୍ପତ୍ତି ଥାଏ ସେ କେତେ ନିଶାରେ ରହିଥାଏ? ଯେପରି ରାଜାର ଛୋଟିଆ ପିଲାଟି ମଧ୍ୟ ରାଜକୁମାର ହୋଇଥାଏ, ତାକୁ ଜଣା ମଧ୍ୟ ନ ଥାଏ ଯେ ତା’ର ବାପା ପାଖରେ କ’ଣ କ’ଣ ସମ୍ପତ୍ତି ଅଛି କିନ୍ତୁ ତା’ ଭିତରେ ନିଶା ରହିଥାଏ ଯେ ମୋ’ ବାପା ସମ୍ପତ୍ତି ଅର୍ଥାତ୍ ମୋ’ର ସମ୍ପତ୍ତି ଏବଂ ସେ ସମ୍ପତ୍ତିର ଖୁସିରେ ରହିଥାଏ । ତେଣୁ କାହାକୁ ଯଦି ଖୁସି କମ୍ ରହୁଛି ତେବେ ତା’ର କାରଣ କ’ଣ? ବାବା ତ ସମ୍ପତ୍ତିଗୁଡିକୁ ପିଲାମାନଙ୍କୁ ଦେଇ ଦେଇଛନ୍ତି, ଶୁଣିଲ ତ । କିନ୍ତୁ କିଛି ପିଲା ଅଛନ୍ତି, ଯେଉଁମାନେ କି କେବଳ ଶୁଣିବାବାଲା ଅଟନ୍ତି । ଆଉ କିଛି ଅଛନ୍ତି ଶୁଣିବା ସହିତ ତା’କୁ ନିଜ ଭିତରେ ସମାହିତ କରିନିଅନ୍ତି, ଏବଂ ଯେଉଁମାନେ ସମାହିତ କରି ନିଅନ୍ତି ସେମାନେ ନିଶାରେ ରହିଥାଆନ୍ତି ।
ଆଜି ନୂଆ ନୂଆ ପିଲାମାନେ ମଧ୍ୟ ଆସିଛନ୍ତି । ବାପଦାଦା ତୁମ ଭଳି ଭାଗ୍ୟବାନ ପିଲାମାନଙ୍କୁ ଭାଗ୍ୟବାନ ହେବାର ଅଭିନନ୍ଦନ ଦେଉଛନ୍ତି । ତୁମେମାନେ ନିଜର ଭାଗ୍ୟକୁ ଜାଣିପାରିଲ ତ? ପରମାତ୍ମ ସ୍ନେହ ଅଟେ, ଅବିନାଶୀ ସ୍ନେହ ଯାହାକି କେବଳ ଗୋଟିଏ ଜନ୍ମ ଚାଲି ନ ଥାଏ, ଅନେକ ଜନ୍ମ ପର୍ଯ୍ୟନ୍ତ ସଦାସର୍ବଦା ଏହି ସ୍ନେହ କାୟମ ରହିଥାଏ କାହିଁକି ନା ବର୍ତ୍ତମାନ ଯେଉଁ ସମୟ ଚାଲୁଛି, ଏହି ସମୟ ମଧ୍ୟ ସଂଗମଯୁଗ ବା ଭାଗ୍ୟବାନ ଯୁଗ ଅଟେ । ସତ୍ୟଯୁଗକୁ ମଧ୍ୟ ଭାଗ୍ୟବାନ ଯୁଗ କୁହାଯାଏ କିନ୍ତୁ ବର୍ତ୍ତମାନ ସଂଗମଯୁଗର ସମୟ ତା’ଠାରୁ ମଧ୍ୟ ଅଧିକ ଭାଗ୍ୟବାନ ଯୁଗ ଅଟେ । କାହିଁକି ଜାଣିଛ? ଏହି ସଂଗମଯୁଗରେ ହିଁ ବାବାଙ୍କ ଦ୍ୱାରା ଅଖଣ୍ଡ ଭାଗ୍ୟର ବରଦାନ ଏବଂ ସମ୍ପତ୍ତି ପ୍ରାପ୍ତ ହୋଇଥାଏ । ତେଣୁ ଏହିଭଳି ସଂଗମଯୁଗର, ଭାଗ୍ୟବାନ ସମୟରେ ତୁମେ ସମସ୍ତେ ନିଜର ଭାଗ୍ୟ ନେବା ପାଇଁ ଏଠାରେ ପହଞ୍ଚି ଯାଇଛ । ତେବେ ବାପଦାଦା ପିଲାମାନଙ୍କୁ ଗୋଟିଏ ବହୁତ ସହଜ ପୁରୁଷାର୍ଥର ବିଧି ବତାଉଛନ୍ତି - ତୁମେମାନେ ସହଜ ବିଧି ଜାଣିବାକୁ ଚାହୁଁଛ ନା! କଷ୍ଟକର ବିଧି ତ ଚାହୁଁ ନାହଁ ନା! ଏମାନଙ୍କୁ (ପୁରୁଣାମାନଙ୍କୁ) ତ ଭାଗ୍ୟ ଗଢିବାର ସହଜ ବିଧି ମିଳିଯାଇଛି । କ’ଣ ମିଳିଯାଇଛି ତ? ତେଣୁ ତୁମେମାନେ ଆଉ କିଛି ବି କର ନାହିଁ । ବାସ୍ ସବୁଠାରୁ ସହଜ ବିଧି ହେଲା ଗୋଟିଏ ହିଁ କାମ କର, ଗୋଟିଏ କାମ ତ କରିପାରିବ ନା! ହଁ କୁହ ନଚେତ୍ ନା କୁହ । କୁହ ହାଁ ଜୀ । ତେବେ ସବୁଠାରୁ ସହଜ ବିଧି ହେଲା - ଅମୃତବେଳାଠାରୁ ଆରମ୍ଭ କରି ଯିଏ ବି ମିଳିବେ ସମସ୍ତଙ୍କଠାରୁ ଦୁଆ ଅର୍ଥାତ୍ ଆଶୀର୍ବାଦ ନିଅ ଏବଂ ଆଶୀର୍ବାଦ ଦିଅ । ଚାହେଁ କ୍ରୋଧୀ ଆତ୍ମା ବି ତୁମ ପାଖକୁ ଆସୁ ତାକୁ ବି ଦୁଆ ଦିଅ ଏବଂ ଦୁଆ ନିଅ କାହିଁକି ନା ଦୁଆ ହିଁ ତୀବ୍ର ପୁରୁଷାର୍ଥର ସହଜ ଯନ୍ତ୍ର ଅଟେ । ଯେପରି ବିଜ୍ଞାନ ଦ୍ୱାରା ରକେଟ୍ ତିଆରି ହୋଇଛି ନା ତାହା କେତେ ଶୀଘ୍ର କାର୍ଯ୍ୟ କରିଦେଉଛି । ସେହିପରି ଆଶୀର୍ବାଦ ଦେବା ଏବଂ ଆଶୀର୍ବାଦ ନେବା - ଏହା ମଧ୍ୟ ଆଗକୁ ବଢିବାର ଏକ ବହୁତ ସହଜ ସାଧନ ଅଟେ । ଅମୃତବେଳାରେ ବାବାଙ୍କଠାରୁ ସହଜଯୋଗ ଦ୍ୱାରା ଆଶୀର୍ବାଦ ନିଅ ଏବଂ ସାରା ଦିନ ସମସ୍ତଙ୍କୁ ଆଶୀର୍ବାଦ ଦିଅ । କ’ଣ ଏହା କରିପାରିବ? ଯଦି କରିପାରିବ ତେବେ ହାତ ଉଠାଅ । ଯଦି କେହି ତୁମକୁ ବଦ୍ଦୁଆ ଅର୍ଥାତ୍ ଅଭିଶାପ ଦେବ ତେବେ କ’ଣ କରିବ? ଯଦି ତୁମକୁ ବାରମ୍ବାର ବିରକ୍ତ କରିବ ତେବେ କ’ଣ କରିବ? ଦେଖ, ତୁମେମାନେ ପରମାତ୍ମା ପିତାଙ୍କର ସନ୍ତାନ, ଦାତାଙ୍କର ସନ୍ତାନ ଦାତା ଅଟ ନା! ମାଷ୍ଟର ଦାତା ତ ଅଟ ନା । ତେବେ ଦାତାର କାମ କ’ଣ ହୋଇଥାଏ? ଦେବା । ତେବେ ସବୁଠାରୁ ଭଲ ଜିନିଷ ହେଲା ଆଶୀର୍ବାଦ ଦେବା । ବ୍ୟକ୍ତି ଯେପରି ବି ହୋଇଥାଉ କିନ୍ତୁ ତୁମର ଭାଇ ବା ଭଉଣୀ ତ ଅଟେ ନା । ପରମାତ୍ମାଙ୍କର ସନ୍ତାନ ତ ଭାଇ ଭଉଣୀ ଅଟ ନା! ଇଏ ପରମାତ୍ମାଙ୍କର ସନ୍ତାନ ଅଟେ, ମୋ’ର ଈଶ୍ୱରୀୟ ଭାଇ ବା ଈଶ୍ୱରୀୟ ଭଉଣୀ ଅଟେ, ତେବେ ତାକୁ କ’ଣ ଦେବ? କ’ଣ ଅଭିଶାପ ଦେବ କି? ବାବା କେବେ କାହାକୁ ଅଭିଶାପ ଦିଅନ୍ତି କି? କେବେ ଦେବେ? କାହାକୁ ଦେଇଛନ୍ତି? ହଁ କିମ୍ବା ନା କୁହ । କିଛି ତ କୁହ । ତେବେ ବହୁତ ଖୁସିରେ ରହିବ । କାହିଁକି ଜାଣିଛ? ଯଦି ବଦ୍ଦୁଆ ଅର୍ଥାତ୍ ଅଭିଶାପ ଦେବାବାଲାକୁ ତୁମେ ଦୁଆ ଦେବ, ସେ ତୁମକୁ ଦେଉ କି ନ ଦେଉ କିନ୍ତୁ ତୁମେ ତାକୁ ଦୁଆ ଦେବ ତେବେ ଦୁଃଖ କାହିଁକି ଲାଗିବ । ତେଣୁ ବାପଦାଦା ଏଠାକୁ ଆସିଥିବା ସବୁ ପିଲାମାନଙ୍କୁ ଗୋଟିଏ ବରଦାନ ଦେଉଛନ୍ତି - ଯଦି ବରଦାନକୁ ମନେ ରଖିବ ତେବେ ସର୍ବଦା ଖୁସିରେ ରହିବ । କ’ଣ ବରଦାନ ଶୁଣାଇବା? ଶୁଣିବ?
ବରଦାନଟି ହେଲା - ଯଦି କେହି ତୁମକୁ ଦୁଃଖ ଦେଉଛି ତେବେ ତୁମେ ଦୁଃଖ ନିଅ ନାହିଁ, ସେ ଦେଉଥାଉ କିନ୍ତୁ ତୁମେ ନିଅ ନାହିଁ । କାହିଁକି ନା ଦେବାବାଲା ତ ଦେଇ ଦେଲା, କିନ୍ତୁ ନେବାବାଲା ତ ତୁମେ ଅଟ ନା! ଦେବାବାଲା ନିଜେ ତ ନେବାବାଲା ନୁହେଁ । ଯଦି ସେ ତୁମକୁ ଖରାପ ଜିନିଷ ଦେଉଛି, ଦୁଃଖ ଦେଉଛି, ଅଶାନ୍ତି ଦେଉଛି, ଏହା ତ ଖରାପ ଜିନିଷ ଅଟେ ନା! କ’ଣ ତୁମମାନଙ୍କୁ ଦୁଃଖ ପସନ୍ଦ ଅଟେ କି? ନୁହେଁ ନା! ତେବେ ତାହା ତ ଖରାପ ଜିନିଷ ହୋଇଗଲା ନା! ଖରାପ ଜିନିଷକୁ କ’ଣ ଗ୍ରହଣ କରାଯାଏ କି? କେହି ଯଦି ତୁମକୁ ଖରାପ ଜିନିଷ ଦେବ ତୁମେ କ’ଣ ନେଇଯିବ? ନେବ? ନାହିଁ ନା । ତେବେ ପୁଣି ନେଉଛ କାହିଁକି? ନେଇଯାଉଛ ନା! ଯଦି ତୁମେ ଦୁଃଖ ନେଇ ନେଉଛ ତେବେ ଦୁଃଖୀ କିଏ ହେଉଛି? ତୁମେ ହେଉଛ ନା ସିଏ ହେଉଛି? ନେବାବାଲା ହିଁ ଅଧିକ ଦୁଃଖୀ ହୋଇଥାଏ । ଯଦି ଏବେଠାରୁ ଦୁଃଖ ନେବ ନାହିଁ ତେବେ ତୁମର ଅଧା ଦୁଃଖ ତ ଦୂର ହୋଇଗଲା, କାରଣ ନେଲ ନାହିଁ ନା? ପୁଣି ଦୁଃଖ ବଦଳରେ ଯଦି ତୁମେ ତାକୁ ଦୁଆ ଦେବ ତେବେ ତ ଦୁଆ ମିଳିବ ନା । ତେବେ ସୁଖୀ ମଧ୍ୟ ରହିବ ଏବଂ ଆଶୀର୍ବାଦ ରୂପୀ ସମ୍ପତ୍ତି ରେ ମଧ୍ୟ ଭରପୂର ହୋଇ ଚାଲିବ । ତେଣୁ ପ୍ରତ୍ୟେକ ଆତ୍ମାଠାରୁ, ସେ ଯେମିତି ବି ହୋଇଥାଉ, ତୁମେ ତା’ ଠାରୁ ଆଶୀର୍ବାଦ ନିଅ । ଶୁଭଭାବନା, ଶୁଭକାମନା ରଖ । ତେବେ କେବେ କ’ଣ ହୁଏ କି, କେହି କେହି ଏଭଳି କାମ କରନ୍ତି ଯାହାକି ତାଙ୍କୁ ଶିକ୍ଷା ଦେବା ପାଇଁ ମଧ୍ୟ ଚେଷ୍ଟା କରିଥାଅ । ଚିନ୍ତା କର, ଏହାକୁ ଠିକ୍ କରି ଦିଅନ୍ତି, ତେଣୁ ଶିକ୍ଷା ଦେଇଥାଅ ତେବେ ଶିକ୍ଷା ମଧ୍ୟ ଦିଅ କିନ୍ତୁ ଶିକ୍ଷା ଦେବାର ସର୍ବୋତ୍ତମ ବିଧି ହେଲା କ୍ଷମା ସ୍ୱରୂପ ହୋଇ ଶିକ୍ଷା ଦିଅ । କେବଳ ଶିକ୍ଷା ଦିଅ ନାହିଁ, ଦୟାଳୁ ହୋଇ କ୍ଷମା ମଧ୍ୟ କର ଏବଂ ଶିକ୍ଷା ମଧ୍ୟ ଦିଅ । ତେଣୁ ଦୁଇଟି ଶବ୍ଦ ମନେ ରଖ - ଶିକ୍ଷା ସହିତ କ୍ଷମା ଏବଂ ଦୟା । ଯଦି ଦୟାଶୀଳ ହୋଇ ଶିକ୍ଷା ଦେବ ତେବେ ତୁମର ଶିକ୍ଷା କାମ କରିବ । ଯଦି ଦୟାଶୀଳ ହୋଇ ଶିକ୍ଷା ନ ଦେଲ ତେବେ ଶିକ୍ଷାକୁ ଗୋଟିଏ କାନରେ ଶୁଣିବେ କିନ୍ତୁ ଆଉ ଗୋଟିଏ କାନରେ ବାହାରିଯିବ । ଶିକ୍ଷା ଧାରଣ ହେବ ନାହିଁ । ଠିକ୍ କଥା ନା? ଅନୁଭବ ତ ଅଛି ନା? ତୁମେମାନେ ମଧ୍ୟ କାହାର ଶିକ୍ଷକ ହୋଇଯାଉ ନାହିଁ ତ? ତେବେ ଶିକ୍ଷକ ହେବା ଶୀଘ୍ର ହୋଇଯାଉଛି କିନ୍ତୁ ତା’ ସହିତ କ୍ଷମା କରିବା ମଧ୍ୟ ହେଉ, ଉଭୟ ଏକାଠି ହେବା ଦରକାର । ଏବେଠାରୁ ହିଁ ଦୟାଭାବ ରଖିବା ଆରମ୍ଭ କର, ଏହାର ବିଧି ହେଲା ଶୁଭଭାବନା, ଶୁଭକାମନା । ଯେପରି କୁହନ୍ତି ନା ସଚ୍ଚା ସ୍ନେହ ପଥରକୁ ମଧ୍ୟ ପାଣି କରିଦିଏ... ସେହିପରି କ୍ଷମା ସ୍ୱରୂପ ହୋଇ ଶିକ୍ଷା ଦେବା ଦ୍ୱାରା ତୁମେ ଯେଉଁ କାର୍ଯ୍ୟ ଚାହୁଁଛ ଏହା ନ କରୁ ବା ଏଭଳି ନ ହେଉ - ତାହା ପ୍ରତ୍ୟକ୍ଷରେ ଦେଖାଯିବ । ତୁମର ଦୟାଶୀଳ ହୋଇ ଶିକ୍ଷା ଦେବାର ପ୍ରଭାବରେ ତା’ର କଠୋର ହୃଦୟ ମଧ୍ୟ ପରିବର୍ତ୍ତନ ହୋଇଯିବ । ତେବେ କ’ଣ ବରଦାନ ମିଳିଲା? ଦୁଃଖ ଦିଅ ନାହିଁ, ଦୁଃଖ ନିଅ ନାହିଁ । ପସନ୍ଦ ତ? ଯଦି ପସନ୍ଦ ଅଟେ ତେବେ ଏବେଠାରୁ ଦୁଃଖ ନେବାର ନାହିଁ, ଭୁଲ୍ କରିବାର ନାହିଁ । ଯଦି ବାବା କାହାକୁ ଦୁଃଖ ଦେଉ ନାହାଁନ୍ତି, ତେବେ ଫଲୋ ଫାଦର ତ କରିବ ନା? ଏବଂ କରୁଛ ମଧ୍ୟ? କିନ୍ତୁ କେବେ କେବେ ଟିକିଏ ଟାଣ କଥା କହିଦେଉଛ । ଆଉ କହିବ ନାହିଁ । ଦୟା ଭାବ ରଖ । ଦୟା ରଖିବା ସହିତ ଶିକ୍ଷା ଦିଅ । ବାରମ୍ବାର କାହାକୁ ଆକଟ କରି କହିବା ଦ୍ୱାରା ସେହି ଆତ୍ମା ଶତ୍ରୁ ପାଲଟିଯାଏ । ତା’ ଭିତରେ ଘୃଣାଭାବ ଆସିଯାଏ । ତୁମେ ତ ପରମାତ୍ମାଙ୍କର ସନ୍ତାନ ଅଟ ନା! ତେବେ ବାବା ଯେପରି ପତିତକୁ ମଧ୍ୟ ପବିତ୍ର କରୁଛନ୍ତି ସେହିପରି ତୁମେମାନେ କ’ଣ ଦୁଃଖୀ ଆତ୍ମାକୁ ସୁଖ ଦେଇପାରିବ ନାହିଁ? ତେଣୁ ଏବେଠାରୁ ଯାଇ ପରୀକ୍ଷା କରି ଦେଖ । କ’ଣ ପରୀକ୍ଷା କରିବ ତ? ତେବେ ଦାନ ପୂଣ୍ୟର କର୍ମ ପ୍ରଥମେ ନିଜ ଘରୁ ହିଁ ଆରମ୍ଭ କରାଯାଏ । ପରିବାରରେ ଯଦି କିଏ ତୁମକୁ ଦୁଃଖ ଦେଉଛି ତେବେ ତୁମେ ନିଅ ନାହିଁ । ତାକୁ ଆଶୀର୍ବାଦ ଦିଅ । ଦୟାଳୁ ହୁଅ । ପ୍ରଥମେ ନିଜର ଘରବାଲାଙ୍କୁ ଦୟା କର । ତୁମର ଘରର ପ୍ରଭାବ ସାହିରେ ପଡିବ, ସାହିର ପ୍ରଭାବ ଦେଶରେ ପଡିବ, ଦେଶର ପ୍ରଭାବ ବିଶ୍ୱରେ ପଡିବ । ସହଜ ଅଟେ ନା! ନିଜ ପରିବାରରୁ ହିଁ ଆରମ୍ଭ କର, କାହିଁକି ନା ପରିବାରରେ ଜଣେ ବି ଯଦି କ୍ରୋଧ କରୁଛି ତେବେ ଘରର ବାତାବରଣ କ’ଣ ହୋଇଯାଇଛି? ଘର ଭଳି ଲାଗୁଛି, ନା ଯୁଦ୍ଧକ୍ଷେତ୍ର ଭଳି ଲାଗୁଛି? ସେହି ସମୟରେ ଭଲ ଲାଗୁଛି? ନୁହେଁ ନା!
ଏହା ତୁମମାନଙ୍କ ପାଇଁ ମଧ୍ୟ ଅଟେ (ଆଜି ଭି.ଆଇ.ପି. ମାନଙ୍କ ସହିତ ମଧୁବନ ନିବାସୀ ସମର୍ପିତ ଭାଇ ଭଉଣୀମାନେ ମଧ୍ୟ ସମ୍ମୁଖରେ ବସିଛନ୍ତି) ତେଣୁ ନିଜ ନିଜର ସାଥୀମାନଙ୍କ ଠାରୁ, ନିଜର କାର୍ଯ୍ୟକର୍ତ୍ତାମାନଙ୍କ ଠାରୁ ଦୁଃଖ ନେବାର ନାହିଁ କି ଦୁଃଖ ଦେବାର ନାହିଁ । ଆଶୀର୍ବାଦ ଦିଅ, ଆଶୀର୍ବାଦ ନିଅ । ଯଦି ତୁମେ ଏହିଭଳି ସମୟରେ ଅଧିକାରର ସହିତ ଦିଲ୍ରେ ମେରା ବାବା ବୋଲି କହିବ, ପରମାତ୍ମା ବାବା, ମେରା ବାବା କହିବ ତେବେ କଥାରେ ଅଛି ନା ପରମାତ୍ମା ସର୍ବଦା ହାଜିର ଅଟନ୍ତି । ଯଦି ତୁମେ ଦିଲ୍ର ସହିତ, ଅଧିକାର ରୂପରେ ଏହିଭଳି ସମୟରେ ମେରାବାବା କହିଲ ତେବେ ହଜୁର ବାବା ହାଜିର ହୋଇଯିବେ, ନ ହେଲେ ବାବା କ’ଣ ପାଇଁ ଅଛନ୍ତି? ପିଲାମାନଙ୍କ ପାଇଁ ତ ଅଛନ୍ତି ନା । ତେବେ ଅଧିକାରୀ ପିଲାମାନଙ୍କୁ ବାବା ସହଯୋଗ ଦେବେ ନାହିଁ - ଏକଥା ହୋଇପାରିବ ନାହିଁ । ଅସମ୍ଭବ ଅଟେ । ତେଣୁ ଏଠାରୁ ନିଜକୁ ପରିବର୍ତ୍ତନ କରିଯାଅ । ଯେପରି ଆସିଥିଲ, ସେହିପରି ଯାଅ ନାହିଁ । ନିଜର ପରିବର୍ତ୍ତନ କରିଯାଅ କାହିଁକି ନା, ଦେଖ ତୁମେମାନେ କେତେ ଧନ ଖର୍ଚ୍ଚ କରି ଏଠାକୁ ଆସିଛ, ଟିକେଟ୍ ତ ଲାଗିଛି ନା! ଖର୍ଚ୍ଚ ମଧ୍ୟ କରିଛ, ସମୟ ମଧ୍ୟ ଦେଇଛ, ତେଣୁ ତା’ର ମୂଲ୍ୟ ତ ରଖିବ ନା! ତା’ର ମୂଲ୍ୟ ହେଲା - ସ୍ୱପରିବର୍ତ୍ତନ ପୂର୍ବରୁ ଘରର ପରିବର୍ତ୍ତନ, ତା’ପରେ ବିଶ୍ୱର ପରିବର୍ତ୍ତନ, ଦେଶର ପରିବର୍ତ୍ତନ । ତୁମମାନଙ୍କର ଘର ଆଶ୍ରମ ହୋଇଯାଉ । ଘର ନୁହେଁ ଆଶ୍ରମ । ଏମିତି ବି ଶାସ୍ତ୍ର କହୁଛି ଗୃହସ୍ଥ ଆଶ୍ରମ, କିନ୍ତୁ ଆଜି ଆଶ୍ରମ ନାହିଁ । ଆଶ୍ରମ ଅଲଗା, ଘର ଅଲଗା । ତେଣୁ ଘରକୁ ଆଶ୍ରମ କର । ଆଶୀର୍ବାଦ ଦେବା ଏବଂ ନେବା ଏହା ଆଶ୍ରମର କାମ । ତୁମର ଘର ମନ୍ଦିର ହୋଇଯିବ । ମନ୍ଦିରରେ ମୂର୍ତ୍ତି କ’ଣ କରିଥାଏ? ଆଶୀର୍ବାଦ ଦେଇଥାଏ ନା! ମୂର୍ତ୍ତି ସାମନାକୁ ଯାଇ କ’ଣ କହିଥା’ନ୍ତି? ଆଶୀର୍ବାଦ କର, ଦୟା କର, କୃପା କର କହି ଚିତ୍କାର କରିଥାଆନ୍ତି ନା! ତେଣୁ ତୁମକୁ ମଧ୍ୟ କ’ଣ ଦେବାର ଅଛି? ଦୁଆ ଦିଅ, ଈଶ୍ୱରୀୟ ସ୍ନେହ ଦିଅ, ଆତ୍ମିକ ସ୍ନେହ ଦିଅ । ଶାରୀରିକ ସ୍ନେହ ନୁହେଁ, ଆତ୍ମିକ ସ୍ନେହ । ଆଜି ଯଦି କାହାର କାହା ପ୍ରତି ସ୍ନେହ ଅଛି, ତେବେ ତାହା ସ୍ୱାର୍ଥର ସ୍ନେହ । ସଚ୍ଚା ହାର୍ଦ୍ଦିକ ସ୍ନେହ ନାହିଁ । ଯଦି ସ୍ୱାର୍ଥ ଥିବ ତେବେ ସ୍ନେହ ଦେବେ, ସ୍ୱାର୍ଥ ନ ଥିଲେ କିଏ କାହାକୁ ପଚାରେ! ତେବେ ତୁମେମାନେ କ’ଣ କରିବ? ଆତ୍ମିକ ସ୍ନେହ ଦେବ, ଆଶୀର୍ବାଦ ଦେବ, ଦୁଃଖ ଦେବ ନାହିଁ କି ଦୁଃଖ ନେବ ନାହିଁ । ଦେଖ ତୁମମାନଙ୍କୁ ମିଶିବାର ସୁଯୋଗ ମିଳିଲା ଏଥିରେ ବାପଦାଦା ମଧ୍ୟ ଖୁସି ହେଉଛନ୍ତି । ଏତେ ଜଣ, ଯେଉଁମାନେ ବି ଆସିଛନ୍ତି (ଭାରତରୁ ପ୍ରାୟ ୨୫୦ ଜଣ ଭି.ଆଇ.ପି. ରିଟ୍ରିଟ୍ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆସିଛନ୍ତି) ଏତିକି ଘର ତ ଆଶ୍ରମ ହେବ ନା । କରିବ ତ? ପକ୍କା? ନା କିଛି କିଛି କଞ୍ଚା? ଯେଉଁମାନେ ଭାବୁଛନ୍ତି ଯାହା ବି ହୋଇଯାଉ, କିଛିଟା ସହନ ତ କରିବାକୁ ପଡିବ ନା, ସମାହିତ କରିବାର ଶକ୍ତିକୁ କାର୍ଯ୍ୟରେ ଲଗାଇବାକୁ ପଡିବ, କିନ୍ତୁ ସହନଶକ୍ତିର ଫଳ ବହୁତ ମିଠା ଅଟେ । ଯଦିଓ ସହିବାକୁ ପଡୁଛି କିନ୍ତୁ ତା’ଣ ଫଳ ଅର୍ଥାତ୍ ପରିଣାମ ବହୁତ ମିଠା ହୋଇଥାଏ । ତେଣୁ ଯେଉଁମାନେ ବି ପକ୍କା ପ୍ରଣ କରୁଛନ୍ତି ପ୍ରତ୍ୟେକ ଘର ଘରକୁ ସ୍ୱର୍ଗ କରିବୁ, ମନ୍ଦିର କରିବୁ, ଆଶ୍ରମ କରିବୁ, ସେମାନେ ହାତ ଉଠାଅ । ଦେଖା ଦେଖିରେ ଉଠାଅ ନାହିଁ କାହିଁକି ନା ପରେ ପୁଣି ବାପଦାଦା ହିସାବ ନେବେ । କାହାକୁ ଦେଖି ଉଠାଅ ନାହିଁ । ସଚ୍ଚା ସଚ୍ଚା ମନର ହାତ ଉଠାଅ, ମନେ ମନେ ଉଠାଅ । ଆଚ୍ଛା ଦାଦିମାନେ କୁହ, ଏଥିପାଇଁ ଏମାନଙ୍କୁ କେଉଁ ପୁରସ୍କାର ଦେବ? ଦାଦି କୁହ, ଏତେ ସବୁ ଘର ଯଦି ମନ୍ଦିର ହୋଇଯିବ ତେବେ ତୁମେ କ’ଣ ପ୍ରାଇଜ୍ ଦେବ? (ନିଜ ନିଜର ଘର ଲୋକମାନଙ୍କୁ ନେଇ ଆସିବେ) ଏହା ତ ପୁରସ୍କାର ହେଲା ନାହିଁ, ଏହା ତ କାମ ଦେଇଦେଲ । (ବାବା ଯାହା ଆଜ୍ଞା କରିବେ) ଦେଖ ପ୍ରାଇଜ୍ ତ ତୁମମାନଙ୍କୁ ମିଳିଯିବ, କିଛି ବଡ କଥା ନୁହେଁ, କିନ୍ତୁ..... କିନ୍ତୁ ଅଛି କି? କିନ୍ତୁ କ’ଣ ଅଛି କହିବୁ? ତୁମେମାନେ ଏଠାରୁ ଯିବା ପରେ ନିଜର ଧାରଣା ଦ୍ୱାରା ନିଜ ଘରକୁ ପରିବର୍ତ୍ତନ କରିବାକୁ ହେବ ଏବଂ ୧୫ ଦିନରେ, ମାସକରେ ନିଜର ଅବସ୍ଥାର ଫଳାଫଳ ଲେଖି ଜଣାଇବ, ଯିଏ ପୂରା ଗୋଟିଏ ମାସ ଦୁଃଖ ନେବେ ନାହିଁ କି ଦେବେ ନାହିଁ ତାଙ୍କୁ ବହୁତ ଭଲ ପ୍ରାଇଜ୍ ମିଳିବ । ଯଦି ତୁମେ ପୁଣି ଏଠାକୁ ଆସିବ ତେବେ ତ ଅଭିନନ୍ଦନ, ଯଦି ଆସି ନ ପାରିବ ତେବେ ବି ସେଣ୍ଟରକୁ ପଠାଇ ଦିଆଯିବ । ଆଚ୍ଛା!
ଚାରିଆଡର ଦେଶ ବିଦେଶର ପିଲାମାନଙ୍କର ଶୁଭେଚ୍ଛାବାର୍ତ୍ତା ବାପଦାଦାଙ୍କୁ ମିଳିଛି । ଚାହେଁ ଫୋନ୍ ଦ୍ୱାରା ମନେ ପକାଇଛନ୍ତି, ଚାହେଁ ପତ୍ର ଦ୍ୱାରା, ଚାହେଁ ମନେ ମନେ ସ୍ମରଣ କରିଛନ୍ତି, ତେଣୁ ବାପଦାଦା ସବୁ ପିଲାଙ୍କୁ ଚାହେଁ ଭାରତର ହୁଅନ୍ତୁ, ଚାହେଁ ବିଦେଶର ହୁଅନ୍ତୁ, ମନେ ପକାଇବାର ପ୍ରତିଦାନ ସ୍ୱରୂପ ଆଶୀର୍ବାଦ ଦେବା ସହିତ ପଦ୍ମାଗୁଣା ଶୁଭେଚ୍ଛା ମଧ୍ୟ ଦେଉଛନ୍ତି ।
ଚାରିଆଡର ପରମାତ୍ମ ସ୍ନେହର ଅଧିକାରୀ ପିଲାମାନଙ୍କୁ, ଚାରିଆଡର ସର୍ବ ସମ୍ପତ୍ତିରେ ଭରପୁର, ନିର୍ବିଘ୍ନ, ନିର୍ବିକଳ୍ପ ନିରବ୍ୟର୍ଥ ସଂକଳ୍ପରେ ରହୁଥିବା ଶ୍ରେଷ୍ଠ ଆତ୍ମାମାନଙ୍କୁ, ତା’ ସହିତ ନିଜକୁ ଏବଂ ଅନ୍ୟମାନଙ୍କୁ ପରିବର୍ତ୍ତନ କରିବାର ଉମଙ୍ଗ-ଉତ୍ସାହରେ ଉଡୁଥିବା ସବୁ ପିଲାଙ୍କୁ, ତା’ ସହିତ ବାପଦାଦାଙ୍କୁ ସଚ୍ଚା ଦିଲ୍ର ସମାଚାର ଦେଉଥିବା ସଚ୍ଚା ଦିଲ୍ବାଲା ପିଲାମାନଙ୍କୁ ବିଶେଷ କରି ଦିଲାରାମ ରୂପରେ, ପିତା ରୂପରେ, ଶିକ୍ଷକ ରୂପରେ, ସତ୍ଗୁରୁ ରୂପରେ ପଦ୍ମଗୁଣା ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।
| ବରଦାନ:- |
ଭଟକୁଥିବା ଆତ୍ମାମାନଙ୍କୁ ଯଥାର୍ଥ ଲକ୍ଷ୍ୟ ସ୍ଥଳ ଦେଖାଉଥିବା ଚୈତନ୍ୟ ଲାଇଟ୍-ମାଇଟ୍ ହାଉସ୍ ହୁଅ ଅର୍ଥାତ୍ ଆଲୋକ ଏବଂ ଶକ୍ତିର କେନ୍ଦ୍ର ହୁଅ । କୌଣସି ବି ଭଟକୁଥିବା ଆତ୍ମାକୁ ଯଥାର୍ଥ ଲକ୍ଷ୍ୟ ସ୍ଥଳ ଦେଖାଇବା ପାଇଁ ଚୈତନ୍ୟ ଲାଇଟ୍-ମାଇଟ୍ ହାଉସ୍ ହୁଅ । ଏଥିପାଇଁ ଦୁଇଟି କଥା ସର୍ବଦା ଧ୍ୟାନରେ ରହୁ (୧) ପ୍ରତ୍ୟେକ ଆତ୍ମାର ଇଚ୍ଛାକୁ ପରଖିବା, ଯେପରି ଯୋଗ୍ୟ ଡାକ୍ତର ତାଙ୍କୁ କୁହାଯାଏ ଯିଏ ନାଡି ଦେଖି ଜାଣିଥାଏ, ସେହିପରି ନିଜର ପରଖିବାର ଶକ୍ତିକୁ ସର୍ବଦା ବ୍ୟବହାର କର । (୨) ସର୍ବଦା ନିଜ ପାଖରେ ସର୍ବ ସମ୍ପତ୍ତିର ଅନୁଭବକୁ କାୟମ ରଖିଥାଅ । ସର୍ବଦା ଏହି ଲକ୍ଷ୍ୟ ରଖ ଯେ ମୋତେ କେବଳ ଶୁଣାଇବାର ନାହିଁ କିନ୍ତୁ ସର୍ବ ସମ୍ବନ୍ଧର, ସର୍ବଗୁଣର ଅନୁଭବ କରାଇବାର ଅଛି । |
| ସ୍ଲୋଗାନ:- | ଅନ୍ୟମାନଙ୍କୁ କରେକ୍ଶନ୍ କରିବା ଅର୍ଥାତ୍ ଭୁଲ୍ ବାଛିବା ପରିବର୍ତ୍ତେ ଏକମାତ୍ର ବାବାଙ୍କ ସହିତ ନିଜର କନେକ୍ଶନକୁ ଠିକ୍ ରଖ । |